*ଘରପୋଡି କ୍ଷତିପୂରଣପାଇଁ ୩ମାସ ଧରି ଠକୁଛି ପ୍ରଶାସନ*ଢେଙ୍କାନାଳ(ସ୍ଵପ୍ର) : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଜନସାଧାରଣ ସବୁ କ୍ଷେତ୍ରରେ ଅବହେଳିତ ଯାହାର ଜ୍ୱଳନ୍ତ ଉଦାହରଣ ହିନ୍ଦୋଳବ୍ଲକ ନୂଆବଗ ପଂଚାୟତରେ ଘରପୋଡି ସର୍ବହରା ହୋଇଥିବା ଜନସାଧାରଣ।ଖବରରୁ ପ୍ରକାଶ ଗତ ୨୪ମାର୍ଚ୍ଚରେ କୌଣସି କାରଣ ବଶତଃ ନୂଆବଗ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଗ୍ରାମର ୯ଜଣ ବ୍ୟକ୍ତିଙ୍କ ଘରପୋଡି ପାଉଁଶ ହୋଇଯାଇଥିଲା।ଗ୍ରାମର ନରିଆ ବିଶ୍ୱାଳ,ଗାଲେଖ ବିଶ୍ୱାଳ, ଗାଣ୍ଡୁ ବିଶ୍ୱାଳ,ଦିବାକର ବିଶ୍ୱାଳ, ସୁବାସ ବିଶ୍ୱାଳ,ସିପୁନ ବିଶ୍ୱାଳ,ଭାସ୍କର ପ୍ରଧାନ, ପ୍ରକାଶ ପ୍ରଧାନ,ପ୍ରମୋଦ ପ୍ରଧାନ ପ୍ରମୁଖଙ୍କ ଘରପୋଡି ସର୍ବସ୍ବlନ୍ତ ହୋଇଯାଇଥିଲେ।ତେବେ ରାଜସ୍ବ ବିଭାଗ ପକ୍ଷରୁ ସ୍ଥାନୀୟ ଆରଆଇ, ହିନ୍ଦୋଳ ଅଗ୍ନିଶମ ବିଭାଗ ସରଜମିନ ତଦନ୍ତକରି ବିସ୍ତୃତ ରିପୋର୍ଟ ତହସିଲଦାରଙ୍କୁ ଦେଇଥିଲେ।ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନ ତୁରନ୍ତ କ୍ଷତିପୂରଣ ଦିଆଯିବା ନେଇ ଆଶ୍ୱାସନା ମଧ୍ୟ ଦେଇଥିଲେ।ତେବେ କ୍ଷତିପୂରଣ ସ୍ୱରୂପ ଅନ୍ତୋଦୟ ଯୋଜନାରେ ଗୃହ,ଘରପୋଡି ବାବଦକୁ କ୍ଷତିପୂରଣ ନିମନ୍ତେ ବ୍ୟାଙ୍କଖାତା ସହ ସମସ୍ତ ପ୍ରମାଣପତ୍ର ଇତ୍ୟାଦି ରାଜସ୍ବ ବିଭାଗକୁ ଦେଇଥିଲେ ହେଁ ସମ୍ପୃକ୍ତ କ୍ଷତିଗ୍ରସ୍ତ ବ୍ୟକ୍ତି ମାନଙ୍କୁ ତିନିମାସ ହେଲା ଦୌଡ଼ାଇଦୌଡ଼ାଇ ଆଜି ମିଳିବ କାଲି ମିଳିବ କହି ବିଭାଗୀୟ ଅଫିସର, କର୍ମଚାରୀ ଠକି ଚାଲିଥିବାରୁ କ୍ଷତିଗ୍ରସ୍ତ ମାନଙ୍କୁ ମାନସିକ କଷ୍ଟ ହେଉଥିବା ସହ ସରକାରୀ ସହାୟତା ଆଶା ଛାଡି ଦେଲେଣି ବୋଲି କ୍ଷୋଭର ସହ ଆମ ପ୍ରତିନିଧିଙ୍କ ଆଗରେ କୁହନ୍ତି ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ ପ୍ରଜାମାନେ। ତେବେ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯିବାକୁ କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ସହ ହିନ୍ଦୋଳ ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

June 5, 2026